Spread the love

କର୍ଦ୍ଧମାକ୍ତ ମାନବତାରେ ମ୍ଳାନ ବଳିଷ୍ଠ ସିଦ୍ଧାନ୍ତ_@Kc

ଯୁଦ୍ଧମୟ ପୃଥିବୀ, ଧ୍ୱଂସମୁଖର ମଣିଷ, ପ୍ରାକୃତିକ ବିପର୍ଯ୍ୟୟରେ ତ୍ରସ୍ତ ଗୋଲାର୍ଦ୍ଧ, ଉତ୍ତପ୍ତ ପୃଥିବୀର ନିଆଁରେ ମଉଳିଯାଉଥିବା ସବୁଜିମା ଏଭଳି ଅନେକ କାରଣ ପାଇଁ ମଣିଷ ଏବେ ଚିନ୍ତାଜନକ ସ୍ଥିତିରେ । ନିସ୍ତାର ନାହିଁ ଏସବୁରୁ । ଧର୍ମଶାସ୍ତ୍ର ବା ବର୍ତ୍ତମାନର ଆବହାୱା, ପାଣିପାଗ, ଲୋକମାନଙ୍କ ଚାଲିଚଲନ ଓ ପ୍ରାକୃତିକ ପରିବେଶ ସବୁକିଛି ଏବେ ନିଜ ସ୍ୱାଭାବିକତା ହରାଇ ବିକୃତ ହେବାରେ ଲାଗିଛନ୍ତି । ୟାର ସମାଧାନ ଆମେ ଜାଣୁ, କିନ୍ତୁ ଯେଉଁଠି ଅଧିକାଂଶ ସେସବୁ ଗ୍ରହଣ କରିବା ତ ଦୂରର କଥା, ଶୁଣିବାକୁ ନାରାଜ । ବଣଜଙ୍ଗଲକୁ ସ୍ୱାର୍ଥ ପାଇଁ ଧ୍ୱଂସ କରିଚାଲିଛୁ କିନ୍ତୁ ବନୀକରଣ କରିବାର ଚେଷ୍ଟା ନାହିଁ । ପାଣିପାଗ ବଦଳିବାର ପ୍ରମୁଖ କାରଣଟି ଜାଣି ମଧ୍ୟ ଆମେ ସଚେତନ ନୋହୁଁ । କାନ୍ଦୁଛୁ ତ ସମସ୍ତେ ହେଲେ କାହା ଆଖିରେ ଲୁହ ଟୋପେ ନାହିଁ ପରି ଅବସ୍ଥା ଆମର ।

କୌଣସି ଏକ ବଳିଷ୍ଠ ସିଦ୍ଧାନ୍ତକୁ ନ୍ୟୁନ ଦେଖାଇବା ଚକ୍ରାନ୍ତ ରଚୁ ରଚୁ ଆମ ବିଚାରଧାରାରେ ଶିଉଳି ବସିଯାଉଛି । ଅନ୍ୟକୁ ଭୁଲ୍ ଓ ନିଜକୁ ଠିକ୍ ପ୍ରମାଣିତ କରିବାକୁ ଗଲାବେଳେ ଆପଣାର କଳଙ୍କିଲଗା ବ୍ୟକ୍ତିତ୍ୱଟି ପରିସ୍ଫୁଟିତ ହେଉଛି । ଆମ ଆଗରୁ ମୁନିଋଷି, ମହାପଣ୍ଡିତ, ବିଦ୍ୱାନମାନେ ନିଜ ଅଭିଜ୍ଞତାରୁ ଆମକୁ ଠିକ୍ ଭୁଲ୍, ଉଚିତ୍ ଅନୁଚିତ୍‌ର ମାର୍ଗଦର୍ଶନ କରିଯାଇଛନ୍ତି । ସେକଥାକୁ ଯଦି ବାଦ୍ ଦେବା ତେବେ ଆମ ପରିବାରର ଗୁରୁଜନମାନେ ବି ଆମକୁ ସମୟାନ୍ତରରେ ଅନେକ ବୌଦ୍ଧିକ ଶିକ୍ଷା ଦେଇଛନ୍ତି । ଆମେ କଣ କାହାର ଗୁରୁତ୍ୱ ରଖିଛେ ! ସେଥିପାଇଁ ବୌଦ୍ଧିକ ଜ୍ଞାନ, ମାନବୀୟ ମୂଲ୍ୟବୋଧ ଆମ ପାଖରେ ଶୂନ୍ୟ ପ୍ରାୟ !

ଚାରିପଟେ ହେଉଥିବା ହୋ ହଲ୍ଲାର ଅଂଶୀଦାର ହୋଇ ସାମୟିକ ସୁଖ ଲାଳସାରେ ବାଟହୁଡିବା ଓ କେବଳ ଆପଣାର ସ୍ୱାର୍ଥ ଅନୁସାରେ ଜୀବନଯାପନ କରିବା, ଅନ୍ୟମାନେ ପଛେ ଚୁଲିକୁ ଯାଆନ୍ତୁ- ଏହା ହେଉଛି ବର୍ତ୍ତମାନର ଆଦର୍ଶ । ମହାପୁରୁଷ, ବିଦ୍ୱାନ, ଶାସ୍ତ୍ରପୁରାଣ, ନୀତିକଥା ଆଉ ଆମ ଜୀବନର ଅଂଶ ହୋଇ ନାହିଁ । କାରଣ ଲୋକମାନଙ୍କ ଜୀବନ ଶୈଳୀ ସମାଜ ଦ୍ୱାରା ଅଧିକାଂଶରେ ପ୍ରଭାବିତ ହୋଇସାରିଛି । କହିବାକୁ ଗଲେ ଲୋକମାନେ ସାମୟିକ ସୁଖରେ ଏତେ ପରିମାଣରେ ଆସକ୍ତ ଯେ ଠିକ୍‌ଭୁଲ୍‌ର ସଂଜ୍ଞାକୁ ନିଜ ଅନୁସାରେ ବଦଳାଇ ଦେଇପାରୁଛନ୍ତି ।

ପରିବା ବେପାରୀ କାହିଁକି ପରିବାକୁ ସତେଜ ରଖିବାକୁ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛି, ପଚାରିଲେ ସେ କହିବ- ପରିବାଗୁଡାକ ଶୀତଳଭଣ୍ଡାର ନଥିବାରୁ ନଷ୍ଟ ହେଉଛି । ଆମେ କେତେ କ୍ଷତି ସହିବୁ ? ଚାଷୀକୁ ଜମିରେ ଜୈବିକ ସାର ପରିବର୍ତ୍ତେ ରାସାୟନିକ ସାରର ପ୍ରୟୋଗ ସଂପର୍କରେ ପଚାରିଲେ ସେ ବି କହିବ- ପ୍ଲାଷ୍ଟିକ ପରି ବିଷାକ୍ତ ଜିନିଷର ବ୍ୟବହାର ବୃଦ୍ଧି ପାଉଥିବାରୁ ଜମି ଅନୁର୍ବର ହେବାରେ ଲାଗିଛି । ବର୍ଷା ବି ଆଗପରି ହେଉନାହିଁ । ଜନସଂଖ୍ୟା ବୃଦ୍ଧି ସହିତ ଆବଶ୍ୟକତା ବଢିବାରେ ଲାଗିଛି । ଅଳ୍ପ ଅମଳ ହେଲେ ଲୋକେ କଣ ଭୋକରେ ମରିବେ ଅର୍ଥାତ୍ ଭୋକରେ ନମରି ଲୋକେ ରୋଗରେ ମରନ୍ତୁ ପଛେ ।

ଗୋଦାମବାଲାଙ୍କୁ ପଚାରିବେ- ଖାଦ୍ୟରେ ମୂଷା କି ଅସରପା ଲଣ୍ଡି କାଇଁ ବାହାରୁଛି ? ସେ ବି ଆପଣଙ୍କୁ ବତେଇଦେବ- ଆଜ୍ଞା ମୁଁ କଣ ଗୋଦାମକୁ ଚବିଶ ଘଂଟା ଜଗିବସିବି ? ମୂଷାମରା ଓଷଦ ଦେଲେ କୋଉ କନ୍ଦିରେ ମୂଷା ମରି ଗନ୍ଧେଇବ ଗୋଦାମ, ଖାଦ୍ୟଶସ୍ୟ ନଷ୍ଟ ହେବ । କେତେ ଜାଲି ବସେଇବି ? ଅସରପାଙ୍କ ଅବସ୍ଥା ତ ସେଇଆ । ମୂଷା ଅସରପାମାନେ ଆଜିକାଲି ବି ଚାଲାକ୍ ହେଲେଣି । ଆଗରୁ କିନ୍ତୁ ଭାରି ସରଳ ଥିଲେ ଜାଲିରେ ଧରାପଡୁଥିଲେ । ଲକ୍ଷ୍ମଣରେଖାରେ ମରିଯାଉଥିଲେ । ଏବେ ତ ଲକ୍ଷ୍ମଣରେଖା ଡେଇଁ ଅସରପାମାନେ ଉଡିଯାଉଛନ୍ତି !

ଗ୍ରୀଷ୍ମର ଅସହ୍ୟ ଗୁଳୁଗୁଳିରେ ମଣିଷମାନେ ମୃତବତ୍ ଅବସ୍ଥା ଭୋଗ କରୁଥିବାବେଳେ ବାରମ୍ବାର ବିଜୁଳି କାଟ କରୁଥିବା ବିଭାଗୀୟ କର୍ମଚାରୀଙ୍କୁ ଫୋନ୍ କରି କାରଣ ପଚାରିଲେ ତଦ୍ରୂପ ଅବସ୍ଥା ! ଫୋନ୍ ବ୍ୟସ୍ତ ଦେଖାଉଥିବ ଯଦି ଆପଣ ଅଫିସ୍‌ରେ ପହଂଚି କାରଣ ଖୋଜିବେ । ସେମାନଙ୍କ ପାଖରେ ବି ଉତ୍ତର ଥିବ- ଉପରୁ ବିଜୁଳିକାଟ ହଉଚି ନା ଆମେ କଣ କରିବୁ ? ସେ ଅମୁକ ଯାଗାରେ ଗଛ ଡାଳ ପଡିଛି । ସମୁକ ଯାଗାର ଟ୍ରାନ୍ସଫରମର୍ ପୋଡିଯାଇଛି ନହେଲେ ତାର ସଜଡା ଚାଲିଛି । ଏହି ବିଭାଗ ପାଖରେ ସବୁ ପ୍ରକାରର ଉତ୍ତର ଥାଏ ଏମିତିରେ । ଯଦି କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ଆପଣଙ୍କ ଘରେ ଖରାପ ହେଲା କିମ୍ବା ଆପଣଙ୍କ ଲାଇନ୍‌ରେ ଥିବା ଲୋକଙ୍କ କୌଣସି କାରଣରୁ ଲାଇନ୍ କଟିଗଲା ତେବେ କଥା ସରିଲା ! କାହାରି ଦର୍ଶନ ମିଳିବ ନାହିଁ । ଅମୁକ ଯାଗା ଯାଇଛନ୍ତି ପିଲା ସଜାଡିବାକୁ ସମୁକ ଯାଗାରେ ଅଛନ୍ତି ଏମିତି କେତେ ଭଳିର ଉତ୍ତର ମିଳିବ । ଯଦି କର୍ମଚାରୀ ଅଭାବ ପଡୁଛନ୍ତି ଆମ ରାଜ୍ୟରୁ ଦାଦନ ଖଟିବାକୁ ଯାଉଥିବା ପିଲାମାନଙ୍କୁ ଏହି ବିଭାଗରେ କାମ ଦିଆଯାଉ । କିନ୍ତୁ ନା ବିଜୁଳି ବିଭାଗର କର୍ମଚାରୀଜଣକ ଦାନ୍ତନିକୁଟି ଠିକ୍ ସମୟରେ ଆସି ବିଲ୍ ଧରେଇ ଚାଲଯିବେ । ଆଉ କିଛି ପଚାରିଲେ ଉତ୍ତର ଆସିବ- ଆମେ ଆଜ୍ଞା କଣ ଜାଣିଛୁ ? ପେଟ ପାଇଁ ଚାକିରୀ କରିଛୁ ସିନା ।

ପ୍ରାଇଭେଟ୍ ବସ୍ କଣ୍ଡକ୍ଟରଟିଏ ବି କମ୍ କଥା ବତେଇବନି । କିଲୋମିଟର୍ ପିଛା ଅଧିକା ନେଇ ବି ଲାଇନ୍ ବସ୍‌ବାଲାଙ୍କ ମନମାନି ଚାଲେ ଗାଁ ଗହଳିରେ । କିଛି ଦିନ ତଳେ ଦୋକାନରେ ବିକ୍ରୀ ହେଉଥିବା ମିଠାରେ ଅପମିଶ୍ରଣ ହେଉଛି ବୋଲି ମିଡିଆରେ ପ୍ରଚାର ହେଉଥିଲା । ବାସ୍ତବରେ ଜନସଂଖ୍ୟା ବୃଦ୍ଧି ଅନୁସାରେ ଗାଈ ମଇଁଷିମାନଙ୍କ ସଂଖ୍ୟା ତ ବୃଦ୍ଧି ହେଉନାହିଁ । ତେବେ ଲୋକମାନଙ୍କ ଚାହିଦା କିପରି ମେଂଟୁଛି ! ବେପାରୀଜଣକ ଅସାଧୁ ଉପାୟରେ କିଛି ପ୍ରତିକଳ୍ପ ତିଆରି କରୁଛି ଯାହାଦ୍ୱାରା ସେ ନକଲି କ୍ଷୀର, ଛେନା ଓ ମିଠା ବନାଇ ଲୋକମାନଙ୍କ ଆବଶ୍ୟକତା ମେଣ୍ଟାଉଛି । ଆମେ ବି କୋଉ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରୁଛେ ନା ପ୍ରତିବାଦ କରୁଛେ? କାରଣ ଦୋକାନରେ ବିକ୍ରୀ ହେଉଥିବା ଖୋଲା ମିଠାଗୁଡିକରେ କୌଣସି ଏକ୍ସପାରୀ ଡେଟ୍ ଲେଖାନଥାଏ । ଯେଉଁ ପ୍ୟାକେଟ୍ ଗୁଡିକରେ ବି ଏସବୁ ବିବରଣୀ ଥାଏ, ସେଗୁଡିକ ଏତେ ଛୋଟ ଅକ୍ଷରରେ ଲେଖାଥାଏ ଯେ ପଢିବାକୁ ଅଧଘଣ୍ଟେ ଲାଗିବ । ଆପଣ ଦୋକାନ କିମ୍ବା ମଲ୍‌ରେ ଏତେ ସମୟ ନଷ୍ଟ କରିପାରିବେନି ବୋଲି ବ୍ୟବସାୟୀ ଜାଣିଶୁଣି ଏପରି ଚତୁରତା କରିଆସୁଛନ୍ତି । ଅଧିକାଂଶ ପ୍ୟାକେଟ୍‌ରେ ମୂଲ୍ୟ ବି ଏମିତି ଯାଗାରେ ଲେଖାଥିବ ଯାହାକୁ ଖୋଜିବାକୁ ବି ଦଶମିନିଟ୍ ଲାଗିଯିବ, ପ୍ରସ୍ତୁତି ତାରିଖ ଓ ଏକ୍ସପାରୀ ତାରିଖ କଥା ପଛରେ ଥାଉ । ଆମେ ଜାଣିଶୁଣି ବିଷ କିଣି ଖାଉଛେ । ଆମେ ଯେ କିଛି ଜାଣୁନାହେଁ ତା ନୁହେଁ ଆମ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଜୀବନ ଏମିତି ଯାନ୍ତ୍ରିକ ହୋଇଗଲାଣି ଯେଉଁଠିକୁ ଯିବେ ଲମ୍ବା ଲାଇନ୍, ମନ୍ଦିର ହେଉ ବା ଦୋକାନ । ବଜାରଘାଟ ହେଉ ବା ବ୍ୟାଙ୍କ, ପୋଷ୍ଟ ଅଫିସ୍ ସବୁଠି ଲାଇନ୍‌ରେ ସମୟ ନଷ୍ଟ । ଜନସଂଖ୍ୟା ବୃଦ୍ଧି ଏପରି ବୃଦ୍ଧି ପାଉଛି ଯେ ଉପରୁ ଡ୍ରୋନ୍ ଦ୍ୱାରା ଉତ୍ତୋଳିତ ଫଟୋ ଦେଖି ମନେହେବ ପୁଳେ ଜନ୍ଦା ପିମ୍ପୁଡି ହାଉଯାଉ ହେଉଛନ୍ତି ।

ଏଭଳି ସ୍ଥିତିରେ କଣ ରୋକିହେବ ! କେତେ ସଚେତନତା ବାଣ୍ଟିହେବ? କାହାକୁ କହିହେବ – କୋଉଟା ଉଚିତ୍ କୋଉଟା ଅନୁଚିତ୍ ! ଜୀବନ ଅଛି ମାନେ ଜଞ୍ଜାଳ ରହିବ । ନଦୀ ମଧ୍ୟ ବହିବାବେଳେ ପଥରମାନଙ୍କୁ ବାଟରେ ସାମ୍ନା କରେ । ସାଧୁ ସନ୍ନ୍ୟାସୀ ପାଲଟୁଥିବା ବାବାମାନଙ୍କୁ ପଚାରିଲେ ସେମାନେ କହିବେ- ସବୁଠି ତ ଚୋରୀଚକାରୀ ! ଲୋକ ଆଉ ଭଲ ବାଟରେ ନାହାନ୍ତି । ସେଥିପାଇଁ ଭଗବାନ୍‌ଙ୍କ ନାମ ନେଇ ଏ ଭୟଙ୍କର ସ୍ଥିତିରୁ ମୁକୁଳିବା ପାଇଁ ସଂସାରରୁ ମୁକ୍ତ ହୋଇଆସିଛୁ । ସେମାନଙ୍କ ଭିତରୁ ଅନେକ ସନ୍ଧ୍ୟାବେଳେ ନିଶାସକ୍ତ ଅବସ୍ଥାରେ ଥିବାର ଦେଖିହେବ । ନିଶାରେ ଚୁର୍ ଥିବା ଜଣାଶୁଣା ଲୋକକୁ ଯଦି ପଚାରିବେ ତୁ ଏତେ ନିଶା କାଇଁ ଖାଉଛୁ ? ସେ ବି ହସିଦେଇ କହିବ – ହାଡଭଙ୍ଗା ଖଟଣୀରେ ଟିକେ ନପିଇଲେ କାମ କରିହବନି ଆଜ୍ଞା ।କାଲି ପାଇଁ ଆଉ ପାଦ ଉଠିବନି ବା !

ନିଶାସକ୍ତ ଛାତ୍ରଛାତ୍ରୀଙ୍କୁ ପଚାରିବେ- ନିଶା କାହିଁକି ସେବନ କରୁଛ ? ସେମାନେ ଆପଣଙ୍କୁ ନିସେଙ୍କାଚରେ ଉତ୍ତର ଦେବେ- ଏଇଟା ଟ୍ରେଣ୍ଡ୍ । ଆପଣଙ୍କୁ ଯଦି ଏସବୁ ଭଲ ଲାଗୁନି ତେବେ ଦେଖନ୍ତୁନି, ଏଠୁ ପଳାନ୍ତୁ । ଆପଣ ମୁହଁ ଲୁଚେଇ ଖରାପ ଦୃଶ୍ୟଟିଏ ଦେଖିଲେ ଲୁଚି ଚାଲିଆସିବାକୁ ବାଧ୍ୟ । କାରଣ ଆମ ଦେଶରେ କୋଣସି ଅନୈତିକ କାର୍ଯ୍ୟରେ ଲଗାମ୍ ଦେବା ପାଇଁ କଠିନ ନୀତିନୟମ କିମ୍ବା କଡା କଟକଣା ନାହିଁ । ସବୁ ନୀତିନିୟମର ଗୋଟେ ଲେଖାଁ ସହଜ ଗଳାବାଟ ଅଛି । ସେ ଗଳାବାଟଟି ଜରିଆରେ ଦୋଷୀମାନଙ୍କୁ ଖସିଯିବା ସହଜ ହୋଇଯାଏ ଯାହାକୁ ବି ନିୟମ ବନେଇଥିବା ମହାପୁରୁଷମାନେ ପ୍ରସ୍ତୁତ କରିଛନ୍ତି କୌଶଳରେ । ସାପ ମରିବ କିନ୍ତୁ ବାଡି ଭାଙ୍ଗିବ ନାହିଁ ପରି ! ସେମିତି ଚୋର ପାଖେ ବି ଉତ୍ତର ଅଛି, ପଳାୟନପନ୍ଥୀ ପାଖେ ବି ଉତ୍ତର ଅଛି । ସମସ୍ତେ ସବୁ ବାଗରେ ଯେକୌଣସି କାରଣଟେ ଦେଇ ମୁକୁଳିଯିବାର ବାଟ ସହସ୍ରାଧିକ । କିନ୍ତୁ ଏସବୁର ସମାଧାନର କୌଣସି ବାଟ ନାହିଁ । କାରଣ ସମସ୍ୟାର ସମାଧାନ ସିନା ହୁଏ ଏଠି ତ ସମସ୍ୟା ବୋଲି ଯାହାକୁ କହିବେ ତାର ସମାଧାନ ଖୋଜି ଖୋଜି ଆପଣ କ୍ଳାନ୍ତ ହୋଇଯିବେ ସିନା କିନ୍ତୁ ସମସ୍ୟାଗୁଡିକ ସେମିତି ଆପଣଙ୍କୁ ଉଠ୍‌ବସ୍‌ କରୁଥିବେ । ସେଥିପାଇଁ ଠକାମି, ଚୋରୀ, ମିଛ ପାଇଁ ଲଗାମ୍ ନାହିଁ । କାରଣ ସେମାନଙ୍କ ପାଇଁ ସେସବୁ ସମୟାନୁସାରେ ଠିକ୍ ।

ଆପଣ ବି କିଛି କରିପାରିବେନି କାରଣ ଆପଣ କ୍ଷମତାହୀନ । ଠିକ୍ ଭୁଲ୍ ବିଚାର କରିପାରିବାର ଅଧିକାର ବି ନାହିଁ । ଏଭଳି ସ୍ଥିତିକୁ ସଂଭାଳିବାକୁ କଣ କରିହେବ ? କୋଉ ନିୟମ ଆଧାରରେ ମଣିଷର ମାନବିକତା ବଜାୟ ରଖିହେବ ? ମାନବିକତା କଣ କୌଣସି ନିୟମର ଅଂଶବିଶେଷ ହୋଇପାରେ ? ମଣିଷ ଭିତରେ ମଣିଷପଣିଆ ହଜିଯାଇଛି ନା ମଣିଷ ନିଜେ ମଣିଷ ବୋଲି ଭୁଲିଯାଇଛି ? ମଣିଷ ଭିତରେ ନୀଳବର୍ଣ୍ଣ ଶୃଗାଳ, ଜୋକ କିମ୍ବା ଝିଟିପିଟି ପରି ଜୀବମାନେ ସକ୍ରିୟ ହୋଇଉଠିଛନ୍ତି କି ଯେଉଁଥିପାଇଁ ସେ ସ୍ୱାର୍ଥାନୁସାରେ ବେଶ ବଦଳାଇ କ୍ଷମତା ହାସଲ କରୁଛି, ଜୋକ ପରି ଅନ୍ୟର ରକ୍ତ ଶୋଷି ନିଜକୁ ବିସ୍ତାର କରିବା ସହିତ ଝିଟିପିଟି ପରି ଲୁଚାଛପାରେ ଜିଭ ବଢେଇ ଖାଦ୍ୟ ଉଦରସ୍ତ କରୁଛି ଅଥଚ କେହି ଜାଣିପାରୁନାହାନ୍ତି !

ଉଚିତ୍ ଅନୁଚିତ୍ ଠିକ୍ ଭୁଲ୍ ଆପେକ୍ଷିକ ସତ୍ୟ ହୋଇପାରେ । ଯଦି ଅନ୍ୟକୁ ହତାହତ କରି ତାର ଖୁସି ଛଡେଇ ଅଣାଯାଏ, ସାମ୍ନାଲୋକକୁ ଲହୁଲୁହାଣ କରି ତାର ଅଧିକାରକୁ ଜୋର୍ ଜବରଦସ୍ତ ଅକ୍ତିଆର କରାଯାଏ, ତେବେ ତାହା କେତେବେଳେ ନିଜ ଦୁଃଖର କାରଣ ହୋଇଯିବ କହିହେବ ନାହିଁ । ଯେପରି ଦୁର୍ଯୋଧନର ପତନ ହୋଇଥିଲା, କୁସଙ୍ଗରେ ପଡି ଶକ୍ତିଶାଳୀ ଯୋଦ୍ଧା ଦାନବୀର କର୍ଣ୍ଣଙ୍କର କରୁଣ ଦୁର୍ଦ୍ଧଶା ହୋଇଥିଲା ସେହିପରି କାହାର ବି ଅନ୍ତ ହୋଇପାରେ । ଉଦାହରଣର ଅଭାବ ନାହିଁ ଆମ ସଂସ୍କୃତିରେ କିନ୍ତୁ ଗ୍ରହଣ କରିବାର ମାନସିକତା ହଜେଇବସିଛନ୍ତି ଆଜିକାର ପିଢୀ ଯାହା ବିଡମ୍ବନାର ବିଷୟ !

ଡଃ ମୌସୁମୀ ପରିଡ଼ା

Leave a Reply

Your email address will not be published. Required fields are marked *

You Missed