Spread the love

ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍‌ଆଣ୍ଡବି (କଟକ ସର୍କଲ୍‌)ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ସ୍କାନର୍‌ରେ ରଖିଥିଲା। କଟକ ଭିଜିଲାନ୍ସ ସ୍ପେସାଲ୍‌ ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ଵାରେଣ୍ଟ ବଳରେ ୯ ଡିଏସ୍‌ପି, ୧୧ ଇନ୍‌ସ୍ପେକ୍ଟର୍‌ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଭିଜିଲାନ୍ସ।

ଏହି ଟିମ୍ ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଧାର ୧୨ଟି ସ୍ଥାନରେ ସୋମବାର ଚଢ଼ଉ କରିଥିଲା। ଶ୍ରୀ ରଥଙ୍କ ଭୁବନେଶ୍ବର ରସୁଲଗଡ଼ର ସତ୍ୟବିହାରରେ ଥିବା ତିନିମହଲା ଆବାସିକ ଘର, ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ (ବି-୨), ପାତ୍ରପଡ଼ାରେ ଥିବା ଗୋଟିଏ ଫ୍ଲାଟ୍‌, ଭଦ୍ରକ ଟାଉନ୍‌ରେ ଥିବା ଦୁଇମହଲା କୋଠା, କଟକ ବାରବାଟୀ ଷ୍ଟାଡିୟମ୍‌ ନିକଟରେ ଥିବା କାର୍ଯ୍ୟାଳୟ, ଭଦ୍ରକ ଅଗରପଡ଼ାରେ ପୈତୃକ ଘର, ଭଦ୍ରକରେ ଥିବା ଅନ୍ୟ ଏକ ପୈତୃକ ଘର, ଯାଜପୁର, ଖୋର୍ଧା ଓ କଟକରେ ଥିବା ଜମି, ଯାଜପୁର ଟାଉନ୍‌ରେ ଥିବା ଜଣେ ନିକଟତମ ସହଯୋଗୀଙ୍କ ଘର, ଭୁବନେଶ୍ବର ଶାସ୍ତ୍ରୀନଗରରେ ଥିବା ଜଣେ ଘନିଷ୍ଠ ସହଯୋଗୀଙ୍କ ଆବାସିକ ଘର, ଭୁବନେଶ୍ବର ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ପୁଅର ଔଷଧ ଦୋକାନରେ ଭିଜିଲାନ୍ସ ଏକକାଳୀନ ଯାଞ୍ଚ କରିଛି।

Leave a Reply

Your email address will not be published. Required fields are marked *