ଅଧରପଣା
ଦିବସ- ଆଷାଢ଼ ଶୁକ୍ଳ ଦ୍ବାଦଶୀ
ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୁଏ। ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହେବା ପରେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ତୀଚାମୁଣ୍ତାଙ୍କ ଲାଗି ଭଙ୍ଗା ଯାଏ ଅଧର ହାଣ୍ତି । ତେବେ ପବିତ୍ର ରଥଯାତ୍ରାରେ। ଏହି ଅଧରପଣା ନୀତିର ଅନେକ ସ୍ବତନ୍ତ୍ରତା ରହିଛି। ଏହି ଅଧରପଣା ପରମ୍ପରା ପ୍ରାୟ ୪୫୦ ବର୍ଷ ପୁରାତନ ବୋଲି ଗବେଷକମାନେ ମତ ଦେଇଛନ୍ତି । ପୂର୍ବରୁ ତିନି ରଥ ସିଂହଦ୍ବାରରେ ପହଁଞ୍ଚବା ପରେ ‘ଅଧରପଣା’ ଲାଗି ହେଉଥିଲା ଯାହା ଦଶମୀ ତିଥିରେ ଅନୁଷ୍ଠିତ ହେଉଥିଲା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ପରେ ଏକାଦଶୀ ଦିନ ଏହି ନୀତି ହୋଇନପାରିବାରୁ ଅନେକ ବର୍ଷ ଧରି ଏହା ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଛି ।
ଅଧରପଣା ନୀତିକୁ ନେଇ କଣ ରହିଛି ପୌରାଣିକ କଥା
ପାପୀ, ତପି, ଦୀନ, ଯବନ ଓ ମ୍ଳେଚ୍ଛ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନ ସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ଆରମ୍ଭ ହୋଇଥିଲା ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି । ବଳଭଦ୍ରଙ୍କୁ ତାରା, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କୁ ମହାକାଳୀ ଭାବେ ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥାଆନ୍ତି । ତେଣୁ ଏହି ଘୋଷଯାତ୍ରାକୁ ‘ତନ୍ତ୍ରର ପୂଜା’ ବୋଲି ମଧ୍ଯ କୁହାଯାଏ । ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବାଦେବୀ ରହିଥାଆନ୍ତି । ‘ଅଧରପଣା’ ବେଳେ ପ୍ରତି ରଥରେ ତିନୋଟି କରି ମୋଟ ନଅଟି ହାଣ୍ତି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ । ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି । ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ସିଂହଦ୍ୱାର ସମ୍ମୁଖ କୂପରୁ ଏହି ଜଳ ଅଣାଯାଏ । ଅଧରପଣା ଭୋଗ ପୂର୍ବରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ , ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି । ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା ଜାଲିକନା ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି ।
ଦେବସ୍ନାନ ପୂର୍ଣ୍ଣିମାଠାରୁ ରଥଯାତ୍ରା ଆରମ୍ଭ ହୋଇ ନୀଳାଦ୍ରିବିଜେ ରେ ସମାପ୍ତ ହୋଇଥାଏ । ଦେବତାମାନଙ୍କଠାରୁ ଆରମ୍ଭ ହେଉଥିବା ଏହି ପବିତ୍ର ଉତ୍ସବ ଅଶରୀରୀମାନଙ୍କ ପାଖରେ ଶେଷ ହୋଇଥାଏ। ରଥଯାତ୍ରାର ଶେଷ ଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ତି ସ୍ପର୍ଶ କରି ଏହାକୁ ଅଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ସେମାନଙ୍କୁ ଉଦ୍ଧାର କରିଥାଆନ୍ତି । ପୌରାଣିକ ବର୍ଣ୍ଣନାନୁଯାୟୀ, ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ରଥରେ ଅନେକ ଦେବାଦେବୀ, ଦାନବ, ଗନ୍ଧର୍ଭ, ଯକ୍ଷ, ଚଣ୍ଡି, ଚାମୁଣ୍ଡା ତଥା ଅଶରିରୀମାନେ ଯାତ୍ରା କରିଥାନ୍ତି । ଏସବୁ ଆତ୍ମାର ଶାନ୍ତି ନିମନ୍ତେ ନୀଳାଦ୍ରି ବିଜେ ପୂର୍ବରୁ ମହାପ୍ରଭୁ ଅଧର ଅମୃତ ପାନ କରିଥାନ୍ତି । ଏହି ପଣା ପାନ କରି ଅତୃପ୍ତ ଆତ୍ମା ମୁକ୍ତି ଲାଭ କରିଥାଏ। ବର୍ଷକୁ ଥରେ ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥା’ନ୍ତି ରଥଯାତ୍ରାକୁ। ଅତୃପ୍ତ ଆତ୍ମା ତୃପ୍ତ ହୁଅନ୍ତି, ଅଶରୀରୀମାନେ ମୁକ୍ତି ପାଆନ୍ତି ଏଭଳି ଅନେକ ଲୋକ ପ୍ରବାଦ ଅଧରପଣାକୁ ନେଇ ରହିଛି।*
ଜୟ ଜଗନ୍ନାଥ।