Spread the love

କଟକ ଜାତୀୟ ଜୁଡିସିଆଲ ଏକାଡେମୀ ଆନୁକୁଲ୍ୟରେ ଏବଂ ଓଡିଶା ହାଇକୋର୍ଟ ଓ ଓଡିଶା ଜୁଡିସିଆଲ ଏକାଡ଼େମୀର ଆୟୋଜନରେ ଆଜିଠାରୁ ଜୁଡିସିଆଲ ଏକାଡ଼େମୀର ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟ ଠାରେ ଦୁଇଦିନିଆ ପୂର୍ବାଞ୍ଚଳ (ଜୋନ ୧)ର ବିଚାରପତିମାନଙ୍କର ସମ୍ମିଳନୀ ଆରମ୍ଭ ହୋଇଛି। ସମସାମୟିକ ନ୍ୟାୟିକ ବିକାଶ ଏବଂ ଆଇନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନ୍ୟାୟକୁ ସୁଦୃଢ କରିବାପାଇଁ ବିଚାରପତିମାନଙ୍କର ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ସୁପ୍ରିମକୋର୍ଟର ବିଚାରପତି, ଛତିଶଗଡ, ଝାଡଖଣ୍ଡ, ବିହାର ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ ଉପରୋକ୍ତ ରାଜ୍ୟର ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନ୍ୟାୟିକ ବିକାଶ ଏବଂ ଆଇନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନ୍ୟାୟକୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ। ଆଜି ଏହି ଦୁଇଦିନିଆ ସମ୍ମିଳନୀକୁ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଅନୁଷ୍ଠାନିକ ଭାବରେ ଉଦଘାଟନ କରି କହିଲେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଜନତାଙ୍କର ଥିବା ବିଶ୍ଵାସକୁ ଅତୁଟ ରଖନ୍ତୁ। ଏଥିସହିତ ସାଧାରଣ ଲୋକମାନଙ୍କୁ ନିରପେକ୍ଷ ଭାବରେ ନ୍ୟାୟ ପ୍ରଦାନ କରି ଦେଶବାସୀଙ୍କର ବିଶ୍ଵାସଭାଜନ ହୁଅନ୍ତୁ। ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅତିଥି ଭାବରେ ଯୋଗଦେଇ କହିଲେ ଏହି ସମ୍ମିଳନୀ ଦେଶ ତଥା ରାଜ୍ୟର ବିଚାରପତିମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ସମ୍ମିଳନୀରେ ଦେଶର ନ୍ୟାୟିକ ବ୍ୟବସ୍ଥା ଏବଂ ଆଇନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି କିପରି ମାମଲା ଗୁଡିକ ବିଚାର ପାଇଁ ସହଜ ହେବ ସେ ସମ୍ପର୍କରେ ଆଲୋଚନା କରଯାଇଥିଲା। ପ୍ରାରମ୍ଭରେ ଓଡିଶା ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷ ଏସ କେ ସାହୁ ଏବଂ ଜାତୀୟ ଜୁଡିସିଆଲ ଏକାଡ଼େମୀର ନିର୍ଦ୍ଦେଶକ ଜଷ୍ଟିସ ଅନିରୁଦ୍ଧ ବୋଷ ସ୍ଵାଗତ ଭାଷଣ ଦେଇ ଏହି ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଓଡିଶା ଜୁଡିସିଆଲ ଏକାଡ଼େମୀର ନିର୍ଦ୍ଦେଶକ ବିଦ୍ୟୁତ କୁମାର ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ବଦ୍ରି ନାରାୟଣ ନନ୍ଦଙ୍କ ସମେତ ବିଚାର ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ସୁକନ୍ୟା ଶତପଥୀ ଉଦଘାଟନ ଉତ୍ସବକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତାକାଲି ଏହି ସମ୍ମିଳନୀ ଉଦଯାପିତ ହେବ।

Leave a Reply

Your email address will not be published. Required fields are marked *