Spread the love

ଅଲିମ୍ପିକ୍ସ ମେଡ଼ାଲ ପରେ ଭାରତୀୟ ହକି ଦଳ ଏସିଆ ଚାମ୍ପିଅନ : ଦେଶବ୍ୟାପୀ ନବୀନଙ୍କୁ ପ୍ରଶଂସା

ପ୍ୟାରିସ ଅଲମ୍ପିକରେ ବ୍ରୋଞ୍ଜ ପଦକ ପରେ ଭାରତୀୟ ହକି ଦଳ ଦେଶ ପାଇଁ ଆଣିଛି ଆଉ ଏକ ସଫଳତା। ଏସିଆନ ଚମ୍ପିଆନସିପ୍‌ ଫାଇନାଲ୍‌ରେ ଚୀନକୁ ହରାଇ ଭାରତ ଚାମ୍ପିଅନ ହୋଇଛି। ଭାରତୀୟ ହକି ଦଳର ଏହି ସଫଳତା ପରେ ସାରା ଦେଶରୁ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହା ସହ ଅସମୟରେ ଭାରତୀୟ ହକି ଦଳର ହାତ ଧରି ଉପରକୁ ଉଠାଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମସ୍ତେ ପ୍ରଶଂସା କରୁଛନ୍ତି। ଭାରତୀୟ ହକି ଦଳ ଯେବେ ବି ତିରଙ୍ଗା ଉଡ଼ାଇବ, ସେତେବେଳେ ନବୀନ ମନେ ପଡ଼ିବେ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ମତବ୍ୟକ୍ତ କରିଛନ୍ତି ।

୧୯୮୦ ପର୍ଯ୍ୟନ୍ତ ଭାରତୀୟ ହକି ଦଳ ନିଜର ଗାରିମା ବଜାୟ ରଖିଥିଲା। ଏହାପରେ ଆରମ୍ଭ ହୋଇଥିଲା ଭାରତୀୟ ହକିର ଅଧୋଗତି। ୨୦୧୮ରେ ସାହାରା ଇଣ୍ଡିଆ ଭାରତୀୟ ହକି ଦଳର ହାତ ଛାଡ଼ିଦେବା ପରେ ଆର୍ଥିକ ଦୁର୍ଗତି ମଧ୍ୟରେ ଦଳ ଗତି କରୁଥିଲା। ଏହି ସମୟରେ ତତ୍‌କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ହାତ ଧରି ଉପରକୁ ଉଠାଇଥିଲେ। ପ୍ରଥମେ ୨୦୧୮ରୁ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିଲା । ପ୍ରାୟୋଜନା ରାଶି ପ୍ରଦାନ ସହ ହକି କ୍ରୀଡ଼ାବିତ୍‌ମାନଙ୍କ ପ୍ରଶିକ୍ଷଣ ଦାୟିତ୍ୱ ଓଡ଼ିଶା ବହନ କରିଥିଲା। ପରବର୍ତ୍ତୀ ସମୟରେ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ୨୦୩୩ ପର୍ଯ୍ୟନ୍ତ ଓଡ଼ିଶା ବହନ କରିବ ବୋଲି ନବୀନ ଘୋଷଣା କରିଥିଲେ। ଏବେ ଓଡ଼ିଶା ଏହାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡିୟମକୁ ଦେଶର ହକି ହବ୍‌ ଭାବେ ଗଢ଼ି ତୋଳିବା ସହ ରାଉରକେଲାରେ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡ଼ିଅମ ନିର୍ମାଣ କରିବା ପାଇଁ ନବୀନ ନିଷ୍ପତ୍ତି ନେଇଥିଲେ। ଏହାସହିତ ଦେଶର ଆଇପିଏଲ୍‌ ଢାଞ୍ଚାରେ ଇଣ୍ଡିଆନ୍‌ ହକି ଲିଗ୍‌ରେ ଓଡ଼ିଶା ସରକାର କଳିଙ୍ଗ ଲାନ୍ସର୍ସର୍ ନାମରେ ଏକ ଟିମ୍‌ ଗଠନ କରି ହକିର ପ୍ରସାର ପାଇଁ ପଦକ୍ଷେପ ନେଇଥିଲେ।

ଏହା ସହିତ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଫଳରେ ଓଡ଼ିଶା ୨୦୧୮ ଓ ୨୦୨୩ରେ ଲଗାତାର ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ସାରା ବିଶ୍ୱକୁ ଚମକାଇ ଦେଇଥିଲା। ପରିଣାମ ସ୍ୱରୂପ ୨ ଟି ଅଲମ୍ପିକରେ ଲଗାତାର ଭାବେ ବ୍ରୋଞ୍ଜ ପଦକ ଜିତିବା ସହ ଭାରତୀୟ ମହିଳା ହକି ଦଳ ମଧ୍ୟ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ଏବେ ପୁରୁଷ ହକିଦଳ ଏସିଆନ ଚାମ୍ପିୟନସିପ୍‌ରେ ହକି ଦଳ ସଫଳତା ଦୋହରାଇବା ପରେ ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ ସମେତ ଭାରତର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ହକି ପାଇଁ ନବୀନ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର କ୍ରୀଡ଼ା ମାନଚିତ୍ରରେ ସମ୍ପ୍ରତି ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଓ ରାଜ୍ୟର ହକି ଖେଳାଳିମାନଙ୍କୁ ଉତ୍ସାହିତ କରାଯାଇପାରିଛି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଏକାଧିକ ଗୁରୁତ୍ୱପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରିଛି। ଏହା ମଧ୍ୟରେ ଅଛି ୨୦୧୮ ଓ ୨୦୨୩ ବିଶ୍ୱକପ୍‌, ୨୦୧୪ ଚମ୍ପିଆନ୍ସ ଟ୍ରଫି ଓ ୨୦୧୭ରେ ହକି ୱାର୍ଲଡ୍‌ ଲିଗ୍‌ ଫାଇନାଲ୍‌। ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା କରାଯାଇ ପାରିଛି । ନବୀନଙ୍କ ନେତୃତ୍ୱ ହକିର ଗୌରବକୁ ପୁନସ୍ଥାପନ କରିଛି ।

Leave a Reply

Your email address will not be published. Required fields are marked *